ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସମ୍ଭବ, ଆମେ ତ ମାତ୍ର ଛାର ମନୁଷ୍ୟ । ତଥାପି ସେ ଅତିଦୟାବନ୍ତ ଓ ଭକ୍ତବତ୍ସଳ ଭାବଗ୍ରାହୀ। ମହାବାହୁ ସଦା ସର୍ବଦା ଭକ୍ତର ଭକ୍ତି ଭାବକୁ ଦେଖିଥାନ୍ତି ଏବଂ ତାର ଭାବ ରଜ୍ଜୁ ରେ ବାନ୍ଧିହୋଇ ନିଜର ଭଗପଣକୁ ମଧ୍ୟ ଭୁଲିଯାଆନ୍ତି। କେତେବେଳେ ଭକ୍ତର ପାଦ ପଖାଳି ଦିଅନ୍ତି ତ କେତେବେଳେ ଭକ୍ତର ରୋଗ ଓ କଷଣ ହରଣ କରିବାକୁ ଯାଇ ନିଜେ ସେହି ରୋଗରେ ପୀଡିତ ହୋଇଥାନ୍ତି। ଏପରି ଅନେକ ଭକ୍ତଙ୍କ ଦୃଷ୍ଟାନ୍ତ ଜଗନ୍ନାଥ ସଂସ୍କୃତିରେ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରେ ଜଣେଥିଲେ ଭକ୍ତ ମାଧବ ଦାସ। ତାଙ୍କର କାଳିଆସାନ୍ତ ପ୍ରତି ଥିବା ଭକ୍ତି ଓ ନିଷ୍ଠାର କାହାଣୀ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ।
ଭକ୍ତ ମାଧବ ଦାସ ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ ଭାବେ ସୁପରିଚିତ । ତାଙ୍କର ପ୍ରାରମ୍ଭିକ ଜୀବନ ସାଧାରଣ ଥିଲା, କିନ୍ତୁ ପତ୍ନୀଙ୍କ ମୃତ୍ୟୁ ପରେ ସେ ସଂସାର ପ୍ରତି ବୀତସ୍ପୃହ ହୋଇବା ସହ ସବୁକିଛି ତ୍ୟାଗକରି ଶ୍ରୀକ୍ଷେତ୍ର ପୁରୀକୁ ଚାଲି ଆସିଥିଲେ । ଭକ୍ତ ଦାସ ମହୋଦଧି କୂଳରେ ଏକ ନିକାଞ୍ଚନ ସ୍ଥାନରେ ବସି ମହାପ୍ରଭୁଙ୍କ ଧ୍ୟାନରେ ନିମଗ୍ନ ରହୁଥିଲେ । ସେ ଏତେ ଗଭୀର ଭକ୍ତିରେ ମଜ୍ଜି ରହୁଥିଲେ ଯେ ନିଜର ଆହାର ଓ ନିଦ୍ରା ବିଷୟକୁ ମଧ୍ୟ ଭୁଲି ଯାଉଥିଲେ । ତାଙ୍କର ଏପରି ଅବସ୍ଥା ଦେଖି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହୃଦୟ ବିଗଳିତ ହୋଇଗଲା। ଠାକୁର ସେହି ସମୟରେ ମାତା ମହାଲକ୍ଷ୍ମୀଙ୍କୁ କହିଥିଲେ ହେ ଦେବୀ ! ଆମେ ଏକ ସ୍ୱର୍ଣ୍ଣ ଥାଳିରେ ସ୍ଵାଦିଷ୍ଟ ମହାପ୍ରସାଦ ନେଇ ଉକ୍ତ ଭକ୍ତଙ୍କୁ ପରଷିଦେଇ ଆସିବା। ସେ’ପରି ହିଁ କରିଥିଲେ ଉଭୟ ଠାକୁର ଓ ଠାକୁରାଣୀ। ଯେତେବେଳେ ମାଧବ ଦାସ ପ୍ରକୃତିସ୍ଥ ହେଲେ , ସେତେବେଳ ସେ ସ୍ୱର୍ଣ୍ଣ ଥାଳି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ବୁଝିପାରିଲେ ଯେ ଏହା ହେଉଛି ମହାପ୍ରଭୁଙ୍କ ଅଶେଷ କୃପା । ଏପରି ଅନେକ ଘଟଣା ତାଙ୍କର ଜୀବନ କାଳ ମଧ୍ୟରେ ଘଟି ଯାଇଛି।
ଦିନକର କଥା , ଥରେ ମାଧବ ଦାସ ଅତିସାର ରୋଗରେ ପୀଡ଼ିତ ହୋଇ ବିଛଣାରେ ପଡ଼ି ରହିଥାନ୍ତି। ସେ ଏତେ ପରିମାଣରେ ଅସୁସ୍ଥ ହୋଇଯାଇଥିଲେ ଯେ ନିଜେ ଉଠିବା ଏବଂ ଖାଇବାକୁ ମଧ୍ୟ ସକ୍ଷମ ନଥିଲେ । ତାଙ୍କର କେହି ଆତ୍ମୀୟ ସ୍ୱଜନ ନିକଟରେ ନଥିବା ହେତୁ ସେ କଷ୍ଟ ପାଉଥାନ୍ତି। ଏହା ଜାଣି ମହାପ୍ରଭୁ ଏକ ବାଳକ ରୂପରେ ଆସି ତାଙ୍କର ସେବା ଶୁଶ୍ରୂଷାଦି କରିବାକୁ ଲାଗିଲେ। ପ୍ରଭୁ ଭକ୍ତ ଦାସଙ୍କ ସମସ୍ତ ଅଶୌଚ କାର୍ଯ୍ୟ ସଫା କରିବା ସହ ତାଙ୍କୁ ଖୁଆଇ ପିଆଇ ଦେଉଥିଲେ । କିଛି ଦିନ ପରେ ଯେତେବେଳେ ମାଧବ ଦାସ ସୁସ୍ଥ ହେଲେ, ସେ ସେହି ବାଳକଟିକୁ ପଚାରିଲେ, “ତୁମେ କିଏ ? ତୁମେ ମୋର ଏତେ ସେବା କାହିଁକି କରୁଥିଲ ?” ସେତେବେଳେ ଦାରୁବ୍ରହ୍ମ ନିଜର ପ୍ରକୃତ ରୂପ ଦର୍ଶନ କରାଇ କହିଲେ ଯେ ମୁଁ ହେଉଛି ଜଗନ୍ନାଥ। ଏହା ଶୁଣି ମାଧବ ଦାସ ଆଶ୍ଚର୍ଯ୍ୟ ହୋଇ କହିଲେ ! “ପ୍ରଭୁ! ଆପଣ ଯଦି ଚାହିଁଥାନ୍ତେ, ତେବେ ମୋତେ କ୍ଷଣିକ ମଧ୍ୟରେ ସୁସ୍ଥ କରିପାରିଥାନ୍ତେ କିନ୍ତୁ ଆପଣ କାହିଁକି ମୋର ଅଶୌଚ ସଫା କରି କଷ୍ଟ ପାଇଲେ ?” ପ୍ରଭୁ ଉତ୍ତର ରଖି କହିଲେ, ହେ ମାଧବ ! “ଭକ୍ତର କର୍ମଫଳ ତାକୁ ଭୋଗିବାକୁ ହିଁ ପଡ଼ିଥାଏ । କିନ୍ତୁ ମୁଁ ମୋ ଭକ୍ତର ପାଉଥିବା କଷଣ ଦେଖିପାରେ ନାହିଁ, ତେଣୁ ତୁମର ସେବା କରି ତୁମ କର୍ମଫଳକୁ ମୁଁ ନିଜେ ବାଣ୍ଟିନେଲି”। ଏହାକହି ମହାପ୍ରଭୁ ସେଠାରୁ ଚାଲିଗଲେ। ଭକ୍ତ ମାଧବ ଦାସଙ୍କ ଶରୀର ଆରୋଗ୍ୟ ଲାଭ ପରେ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେ ସେଠାରେ ଦାରୁବ୍ରହ୍ମଙ୍କୁ ସ୍ୱ ଚର୍ମ ଚକ୍ଷୁରେ ଦେଖି ନପାରି ବହୁତ ଦୁଃଖିତ ହୋଇଥିଲେ। ଏହା ଜାଣିବା ପାଇଁ ଯେତେବେଳେ ମାଧବ ସେବକ ମାନଙ୍କୁ ପଚାରି ବୁଝିଲେ, ଏହାର ପ୍ରକୃତ ରହସ୍ୟ ବୁଝି ପାରିଥିଲେ । ଲୋକକଥା ଅନୁଯାୟୀ, ଭକ୍ତ ମାଧବ ଦାସଙ୍କ ରୋଗକୁ ମହାପ୍ରଭୁ ନିଜ ଉପରକୁ ନେଇ ପନ୍ଦର ଦିନ ପର୍ଯ୍ୟନ୍ତ ଅସୁସ୍ଥ ହୋଇବା ସହ ଅଣସର ଘରେ ରହିଥିଲେ । ସେହି ଦିନଠାରୁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କୁ ଜ୍ଵର ହୋଇଥାଏ । ତେଣୁ ‘ଅଣସର’ ନୀତି ପାଳନ କରାଯାଉଛି ବୋଲି ବିଶ୍ବାସ ରହିଛି।
ମାଧବ ଦାସ କେବଳ ଜଣେ ଭକ୍ତ ନଥିଲେ, ସେ ଜଣେ କବି ଓ ଜ୍ଞାନୀ ମଧ୍ୟ ଥିଲେ । ତାଙ୍କରି ଦ୍ଵାରା ରଚିତ ଅନେକ ସ୍ତୁତି- ସ୍ତୋତ୍ର ଓ ପୁରାଣ ଆଦି ପୁସ୍ତକ ଆଜି ମଧ୍ୟ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ଆଦୃତ ଲାଭ କରିଛି । ସେଥିମଧ୍ୟରୁ ” ମୋକ୍ଷ ପୁରାଣ “ର ବର୍ଣ୍ଣନା ଅତ୍ୟନ୍ତ ସାରଗର୍ଭକ ଅଟେ। ଏ’ପରି ଜ୍ଞାନୀ ଭକ୍ତଙ୍କ ପାଇଁ ଶ୍ରୀମଦ୍ଭଗବଦ୍ ଗୀତାରେ କୁହାଯାଉଛି: ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକଭକ୍ତିର୍ବିଶିଷ୍ୟତେ । ପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ।। ଅର୍ଥାତ୍ ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ଭକ୍ତ ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବୋଲି ବିଚାର କରାଯାଇ ଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ଏ’ପରି ଜ୍ଞାନ ଓ ଭକ୍ତି ପରାକାଷ୍ଠାର ମୂର୍ତ୍ତିମନ୍ତ ପ୍ରତୀକଥିଲେ ମାଧବ ଦାସ । ସେ ନିଜର ଅମ୍ଳାନ ଭକ୍ତି ପାଇଁ ଜଗତର ନାଥ ଶ୍ରୀଜଗନ୍ନାଥକୁ ଆପଣାର କରିପାରିଥିଲେ। ଏ’ପରି ଭକ୍ତର ସ୍ଥାନ ସଦା ସର୍ବଦା ଆମ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ହୋଇରହିବ।
ଖମ୍ବେଶ୍ଵରୀ ପାଟଣା
ଆସିକା , ଗଞ୍ଜାମ
୯୮୬୧୩୩୪୮୬୮